ଅନୁଗୁଳ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆଗଦାରେ ଫୋପାଡ଼ି ଚାଲିଗଲା ଦୁର୍ବୃତ୍ତ! ଅନୁଗୁଳ ଜିଲ୍ଲାରେ ଏହି ଲଜ୍ଜାକର ଘଟଣା ଘଟିଛି।
ଅନୁଗୁଳ ବସ୍ଷ୍ଟାଣ୍ଡ ନିକଟ ଏକ ଆହାର କେନ୍ଦ୍ର ପାଖରେ ଥିବା ଅଳିଆଗଦାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି।
ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୁଳ ସହରକୁ କାମ କରିବା ପାଇଁ ଆସିଥିଲେ। ଗତକାଲି ରାତିରେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କ ସହ ବସ୍ଷ୍ଟାଣ୍ଡ ନିକଟ ଏକ ଦୋକାନ ବାରଣ୍ଡାରେ ଶୋଇଥିଲେ। ରାତିରେ କେହି ଦୁର୍ବୃତ୍ତ ନାବାଳିକା ଜଣକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ଏକ ଅଳିଆଗଦାରୁ ଝିଅକୁ ଉଦ୍ଧାର କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।