• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। 

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାମ ଚାଲିଥିବାରୁ ମାମଲା ରଦ୍ଦ କରାଯାଇଛି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି। କୋର୍ଟଙ୍କ ବହୁ ମୂଲ୍ୟ ସମୟ ନଷ୍ଟ ହୋଇଥିବାରୁ ଉଭୟ ପକ୍ଷଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉ କି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରିଥିଲେ। ମାମଲାର ଶୁଣାଣି କରି ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ। ଏହାସହ ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଏହି ଦୁଇ ପିଟିସନ୍ ଦାୟର ହୋଇଥିଲା।

ମାମଲାର ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଏଥିପାଇଁ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ। ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ବେଆଇନ ର୍ନିମାଣ ଓ ଖନନ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ଦେଖାଦେଇଛି ବୋଲି ଦୁଇ ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ। ଏପରିକି ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବା ସେ ଦର୍ଶାଇଥିଲେ। ନିର୍ମାଣ ଉପରେ ରୋକ ଲଗାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ତାହା ହୋଇପାରିନଥିଲା। ଶେଷରେ ଦୁହେଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।