• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ । ଆମସାର୍ ଆର ଉଲ୍ଲଂଘନ ହେଉଥିବା ନେଇ ବିଭିନ୍ନ ଆଡୁ ସାଂଘାତିକ ଅଭିଯୋଗ ଆସୁଛି । ଏମିତିକି ପ୍ରକଳ୍ପକୁ ନେଇ ରାଜନୈତିକ ବ୍ଲେମ୍ ଗେମ୍ ବି ଚାଲିଛି ଯାହାକି ମହାପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମନେ କରୁଥିବା ପ୍ରତିଟି ଓଡ଼ିଆଙ୍କ ଭାବନାକୁ ଆଘାତ ପହଞ୍ଚାଉଛି ।

ଅମିୟ ଆହୁରି ମଧ୍ୟ ଲେଖିଛନ୍ତି ଯେ, ପ୍ରକଳ୍ପ ଆରମ୍ଭରୁ ଆମସାର ଆକ୍ଚର ଉଲ୍ଲଂଘନ ହୋଇଥିଲେ ବି ଏଏସ୍ଆଇ ପଦକ୍ଷେପ ନନେବାରୁ ବିବାଦ ଉପୁଜିଲା । ନିଷିଦ୍ଧାଞ୍ଚଳରେ ଟୟଲେଟ୍ ନିର୍ମାଣ ହୋଇପାରିବ ବୋଲି ଏଏସ୍ଆଇ ଡିଜି କହିଛନ୍ତି, କିନ୍ତୁ ରିସେପସନ୍ ସେଣ୍ଟର ଓ ଅନ୍ୟ ନିର୍ମାଣ ହୋଇ ପାରିବ ନାହିଁ । ସରକାର ଯାହା କରିବେ ଏଏସ୍ଆଇ ଅନୁମତି ନେବା କଥା, ହେଲେ ତାହା ହୋଇନାହିଁ ।

ମେଘନାଦ ପାଚେରି ପ୍ରତି ବିପଦ ଥିବାରୁ ଏଏସ୍ଆଇ ବି ଶହେ ମିଟର ଭିତରେ ନିର୍ମାଣକୁ ବିରୋଧ କରୁଛି । ଏବେ ହାଇକୋର୍ଟରେ ଏ ସମ୍ପର୍କିତ ମାମଲା ବିଚାରାଧୀନ ରହିଛି, କିନ୍ତୁ କୋର୍ଟ ନିର୍ମାଣ ଉପରେ ରହିତାଦେଶ ଜାରି କରିନାହାନ୍ତି, ଯେହେତୁ ମୁଖ୍ୟମନ୍ତ୍ରୀ ନିଜେ ଜଣେ ଐତିହ୍ୟପ୍ରେମୀ ଓ ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ, ତେଣୁ କୋର୍ଟଙ୍କ ରାୟ ଆସିବା ଯାଏଁ କାମ ବନ୍ଦ ରଖିବାକୁ ଅପିଲ୍ କରଛନ୍ତି ଅମିୟ ଭୂଷଣ । ସେପଟେ ଅନ୍ୟ ଏକ ସୂଚନାକ୍ରମେ ମୁଖ୍ୟମନ୍ତ୍ରୀ ମଧ୍ୟ ଇନଟାକ୍‌ର ଜଣେ ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି ।

କାମ ବନ୍ଦ ପାଇଁ ଇନ୍‌ଟାକ୍‌ର ଚିଠିକୁ ସମର୍ଥନ କରିଛନ୍ତି ପୁରୀର ଆଇନଜୀବୀ ଶରତ ରାୟଗୁରୁ । ସେ କହିଛନ୍ତି ଆରମ୍ଭରୁ ଇନଟାକ୍ ଏ ପଦକ୍ଷେପ ନେଇଥିଲେ, ହୁଏତ ପ୍ରୋହିବିଟେଡ୍ ଏରିଆରେ କାମ ଏତେବାଟ ଆଗକୁ ବଢ଼ିନଥାନ୍ତା । ହାଇକୋର୍ଟ ନିର୍ମାଣ କାମ ଉପରେ ରହିତାଦେଶ ଜାରି କରିନଥିଲେ ବି ଏଏସ୍ଆଇକୁ ନପଚାରି କୌଣସି ନିର୍ମାଣ କାମ ନକରିବାକୁ କହିଛନ୍ତି । ସେପଟେ ପ୍ରକଳ୍ପ ସପକ୍ଷବାଦୀ ଗୌରହରୀ ପ୍ରଧାନ କହିଛନ୍ତି ଯେ, ସବୁ କାମ ଠିକ୍ ଚାଲିଛି, କାମ ଭୁଲ୍ ଥିଲେ ହାଇକୋର୍ଟ ନିଶ୍ଚିତ ରହିତାଦେଶ ଦେଇଥାନ୍ତେ । ଇନଟାକ୍‌ର ଆବାହକଙ୍କ ଏ ଚିଠି କେବଳ ନିଜର ପ୍ରଚାର ପାଇଁ ବୋଲି କହିଛନ୍ତି ଗୌରହରୀ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର । ସେ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ୟ୍ୟକରଣ ନେଇ କାହାର ଆପତ୍ତି ନାହିଁ, ମାତ୍ର ବିଗତ କିଛି ଦିନରେ ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ । ପୂରାତନ କୀର୍ତ୍ତିରାଜିର ଅଣଦେଖା କରି ଆଧୁନିକୀକରଣ କରିବା ଉଚିତ ନୁହେଁ । ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦଯର୍ୟକରଣ ହେଉ । ପୂର୍ବରୁ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ ଯେ, ଆଇନ୍ ଅନୁସାରେ ସବୁ କାମ ହେଉଛି । ଏବେ ଅପେକ୍ଷା ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପ୍ରକଳ୍ପ କାମ ସ୍ଥଗିତ ରହୁଛି ନା ଜାରି ରହୁଛି ? ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟର- ପ୍ରଦୀପ ମହାନ୍ତି ଓ ହରିହର ଚାନ୍ଦ