• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ଐତିହ୍ୟ କରିଡର ନାଁରେ ଚାଲିଛି ବିପଦଜ୍ଜନକ ଖନନ । ASI ଓ NMA କହିଛନ୍ତି, ସ୍ଥାନୀୟ ନିର୍ମାଣ ପାଇଁ ଅନୁମତି ଦେଇନୁ । ତାହାଲେ କାହା ଅନୁମତିରେ ମନ୍ଦିର ଚାରିପାଖେ ଚାଲିଛି ବେଧଡକ୍ ବେଆଇନ୍ ଖନନ । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେପି ସଦସ୍ୟ କରିଛନ୍ତି ହୋହଲ୍ଲା ।

ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି-ଖନନ ଯୋଗୁଁ ସୃଷ୍ଟି ହେଉଥିବା ଭାଇବ୍ରେସନ କାରଣରୁ ଶ୍ରୀମନ୍ଦିରରେ ଫାଟ ହୋଇଛି । ତେଣୁ ବିକାଶ ନାଁରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ହେବେ । ତାସହ କହିଛନ୍ତି- ବିକାଶ କାମକୁ କେହି ବିରୋଧ କରୁନାହାନ୍ତି, ହେଲେ ଏଥିପାଇଁ ଉଭୟ ASI ଓ NMAର ଅନୁମତି ଦରକାର । କିନ୍ତୁ ସରକାର ତାହା ନଆଣି ମନଇଚ୍ଛା କରିଡର କାମ କରୁଛନ୍ତି । ଏହାର ବାସ୍ତବତା କଣ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ଜୟନ୍ତ ।

ସେପଟେ କଂଗ୍ରେସ ବି ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ କଡ଼ା କରିବା ସହ ଗୃହ କମିଟି ଗଠନ ସପକ୍ଷରେ ଦାବି ରଖିଛି । ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଜଗନ୍ନାଥ ମନ୍ଦିରର ବିକାଶ କରୁ କରୁ ଯେମିତି ବିନାଶ ନହୁଏ । 

ସେହିଭଳି ଶ୍ରୀମନ୍ଦିର ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ କ୍ରମେ ବିଧାନସଭାରେ ବିବୃତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆରୁଖ କହିଛନ୍ତି-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା, ସମସ୍ତେ ମିଳିମିଶି ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେତେବେଳେ ନିଷ୍ପତ୍ତି ହୋଇଥିଲା । ଏବେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି, ହେଲେ ଶ୍ରୀମନ୍ଦିରର କିଛି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ ।

ତେବେ ଗୃହ କମିଟି ଗଠନ ନେଇ ବିରୋଧୀ ଦଳଙ୍କ ଦାବି ପ୍ରସଙ୍ଗରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି-ମାର୍ଚ୍ଚ ୩୧ ତାରିଖରେ ଅନେକ ପ୍ରକାର କମିଟି ଗଠନ କରାଯିବ । ସେତିକି ବେଳେ ଏ ସଂପର୍କିତ ଏକ କମିଟି ଗଠନ କରିବାକୁ ପ୍ରସ୍ତୁତ ଅଛୁ । ପୂର୍ବରୁ ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ଲିଖିତ ଉତ୍ତର ରଖି କହିଥିଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ପ୍ରତ୍ନତତ୍ତ୍ୱ ଆଇନ ୧୯୫୮ ଧାରା ୧୯ ଅନୁସାରେ ଅନୁମତି ଆବଶ୍ୟକ । କୌଣସି ସଂରକ୍ଷିତ ଐତିହ୍ୟର ୧୦୦ ମିଟର ପରିଧିରେ କିଛି ନିର୍ମାଣ କାର୍ଯ୍ୟ ହେଲେ ଅନୁମତି ଲୋଡ଼ା । ଶ୍ରୀମନ୍ଦିର ପାଇଁ ଯଦି ଆବଶ୍ୟକ ପଡ଼େ ପ୍ରାଧିକୃତ ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାର ଅନୁମତି ଲୋଡ଼ିବେ ।

ଐତିହ୍ୟ କରିଡର ପ୍ରକଳ୍ପ ନାଁରେ ଶ୍ରୀମନ୍ଦିର ଚତୁଋପାର୍ଶ୍ୱରେ ବେଆଇନ୍ ଖନନକୁ ନେଇ ଲାଗି ରହିଛି ବିବାଦ । ASI ଓ NMAଙ୍କ ଅନୁମତି ନନେଇ ବଡ଼ ବଡ଼ ଗାତ ଖୋଳା ଚାଲିଥିବାରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଥିବା ଦର୍ଶାଇ ଜଗନ୍ନାଥ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଏମିତିକି ଐତିହ୍ୟ କରିଡର ପାଇଁ ASI ଓ NMAଙ୍କ ଅନୁମତି ମିଳିଥିବା ନେଇ ଜିଲ୍ଲାପାଳ କହିବା ଓ ଏହାକୁ  ASI ଅଧିକାରୀ ଖଣ୍ଡନ କରିବାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ ଯାହା ଆଜି ବିଧାନସଭାରେ ଉଠିଛି । ଏମିତିକି ନିକଟରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ କହିଥିଲେ, ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ।