• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କେଁ । ଦକ୍ଷ ଓଡିଆ ଶିଳ୍ପୀଙ୍କୁ ଅବହେଳା ଅଭିଯୋଗ । ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ । ରାଜ୍ୟର ଦୁଇ ପ୍ରତିଷ୍ଠିତ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ପଦ୍ମଶ୍ରୀ ପ୍ରଭାକର ମହାରଣାଙ୍କର । ଏମାନଙ୍କ ଅଭିଯୋଗ ଐତିହ୍ୟ କରିଡର ଲାଗି ରାଜ୍ୟ ସରକାର ଓଡିଶା ବ୍ରିଜ କନ୍‌ଷ୍ଟ୍ରକ୍‌ସନ୍ କର୍ପୋରେସନ, ଓବିସିସିକୁ ଦାୟିତ୍ୱ ଦେଲେ । ଏହାପରେ ଓବିସିସି ରାଜ୍ୟର ପ୍ରତିଷ୍ଠିତ ସ୍ଥପତି ମାନଙ୍କୁ ଡାକି ଆଲୋଚନା କରିଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ପୂରା ପ୍ରକଳ୍ପ କାମ ସାରିବାକୁ ଟାଟା ପ୍ରୋଜେକ୍ଟ ସହ ଏମ୍ଓୟୁ କଲେ ।

ଟାଟା ପ୍ରୋଜେକ୍ଟ ମଧ୍ୟ ପ୍ରତିଷ୍ଠିତ ସ୍ଥପତିଙ୍କ ସହ ଆଲୋଚନା କଲା । ଏପରିକି ରାଜ୍ୟ ବାହାରକୁ ଯାଇ ପ୍ରକଳ୍ପ ସମ୍ପର୍କରେ ସ୍ଥପତି ମାନେ ନମୁନା ପ୍ରସ୍ତୁତ କରି ପ୍ରେଜେଣ୍ଟେସନ୍ ବି ଦେଲେ । ମାତ୍ର ଆଶ୍ୱାସନା ଦେଇ ବାରମ୍ବାର ଆଲୋଚନା କରି ଶେଷ ମୁହୂର୍ତ୍ତରେ ଏବେ ଟାଟା ପ୍ରତିଷ୍ଠିତ ସ୍ଥପତି ମାନଙ୍କୁ ପ୍ରୋଜେକ୍ଟରୁ ବାଦ ଦେଇଥିବା ଅଭିଯୋଗ ଆଣିଛନ୍ତି ସୁଦର୍ଶନ ଓ ପ୍ରଭାକର । ଯେତେ କମ୍ ଅର୍ଥରେ କାମ ହୋଇପାରିବ ତାଉପରେ ଗୁରୁତ୍ୱ ଦେଇ ଟାଟା ସ୍ଥପତିମାନଙ୍କୁ ବାଦ ଦେଇଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଐତିହ୍ୟ କରିଡର ଲାଗି ୩୩୧ କୋଟି ୨୮ ଲକ୍ଷ ଟଙ୍କାର ବଜେଟ ସ୍ଥିର କରାଯାଇଛି । ଉତ୍କଳୀୟ ଢାଞ୍ଚାରେ ୧୮ଟି ମଠର ବିକାଶ କରାଯିବ । ତେବେ ମନ୍ଦିରକୁ ଲାଗି ଥିବା ଛାଉଣି ମଠ ଓ ବଡଛତା ମଠ ପ୍ରୋଜେକ୍ଚ ଲାଗି ଅତ୍ୟନ୍ତ ନିଖୁଣ କଳକାରିଗରୀର ଆବଶ୍ୟକ ଥିବାରୁ ପ୍ରତିଷ୍ଠିତ ସ୍ଥପତି ମାନଙ୍କ ଆଗ୍ରହ ଅଧିକ ରହିଥିଲା । କିନ୍ତୁ ସେମାନଙ୍କ ପ୍ରତି ଅବହେଳାକୁ ନେଇ ଶିଳ୍ପୀ ମହାସଂଘ ବି ସରକାରଙ୍କୁ ଟାର୍ଗେଟ କରିଛି ।

ସେପଟେ ଏନେଇ ଟାଟାର ପ୍ରତିକ୍ରିୟା ମିଳିନଥିବା ବେଳେ ଓବିସିସିର କହିବା ହେଲା ଐତିହ୍ୟ କରିଡର ଲାଗି ରାଜ୍ୟର ପ୍ରତିଷ୍ଠିତ ତଥା ଅଭିଜ୍ଞ ସ୍ଥପତି ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଓବିସିସିଠୁ ସ୍ୱୀକୃତି ନେଇ ଟାଟା ପ୍ରୋଜେକ୍ଟ ସେମାନଙ୍କୁ କାମ ଦେବ ।

ତେବେ ଐତିହ୍ୟ କରିଡର କାମ ଆରମ୍ଭରୁ ବିବାଦ ଦେଖାଦେଲାଣି । ଏପରିକି ବିଶିଷ୍ଟ ସ୍ଥପତିଙ୍କ ଅସନ୍ତୋଷ ପରେ ପ୍ରକଳ୍ପର ମାନ ଓ ସ୍ଥାୟିତ୍ୱକୁ ନେଇ ବି ପ୍ରଶ୍ନ ଉଠିଲାଣି । ତେଣୁ ଏହା ଉପରେ ସରକାର ଆଗକୁ କି ପଦକ୍ଷେପ ନେଉଛନ୍ତି ତା ଉପରେ ନଜର ।